ପୁରୀ,ଶ୍ରୀ ସଦାଶିବ ପରିସରସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଶିକ୍ଷାଶାସ୍ତ୍ର ବିଭାଗ ଆନୁକୂଲ୍ୟରେ ଆୟୋଜିତ:ଓଡିଶା ଖବର

ପୁରୀ, ୧୪/୦୩/୨୦୨୬ (ବ୍ୟୁରୋ): ସ୍ଥାନୀୟ ଶ୍ରୀ ସଦାଶିବ ପରିସରସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଶିକ୍ଷାଶାସ୍ତ୍ର ବିଭାଗ ଆନୁକୂଲ୍ୟରେ ଆୟୋଜିତ ‘ଭାରତୀୟ ଭାଷା ପରିବାର’ ଗ୍ରନ୍ଥ ଆଧାରିତ ଦୁଇଦିବସୀୟ ରାଷ୍ଟ୍ରୀୟ କର୍ମଶାଳା ଶନିବାର ଦିନ ସଫଳତାର ସହ ଉଦ୍‌ଯାପିତ ହୋଇଯାଇଛି। ଜୟଦେବ ସଭାଗାରଠାରେ ଅନୁଷ୍ଠିତ ଏହି କର୍ମଶାଳାରେ ଭାରତୀୟ ଭାଷାଗୁଡ଼ିକର ସମନ୍ୱୟ, ସାଂସ୍କୃତିକ ଐକ୍ୟ ଏବଂ ଭାଷାଭିତ୍ତିକ ଗବେଷଣା ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଛି।
ଶୁକ୍ରବାର ଦିନ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ପରିସରର ନିର୍ଦ୍ଦେଶକ ପ୍ରଫେସର ପ୍ରଭାତ କୁମାର ମହାପାତ୍ର ଅଧ୍ୟକ୍ଷତା କରି କହିଥିଲେ ଯେ, ଭାରତର ସମସ୍ତ ଭାଷା ମଧ୍ୟରେ ଏକ ଅଦୃଶ୍ୟ ଭାବଗତ ସଂଯୋଗ ରହିଛି ଏବଂ ‘ଭାରତୀୟ ଭାଷା ପରିବାର’ ଗ୍ରନ୍ଥ ଏହି ଏକତାକୁ ପ୍ରତିପାଦିତ କରେ। ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ଗୋପାଳ କୃଷ୍ଣ ଦାଶ ଯୋଗଦେଇ ଭାଷାଗୁଡ଼ିକର ଐତିହାସିକ ପୃଷ୍ଠଭୂମି ବର୍ଣ୍ଣନା କରିଥିଲେ। ଦୁଇ ଦିନ ଧରି ଚାଲିଥିବା ବିଭିନ୍ନ ବୈଷୟିକ ଅଧିବେଶନରେ ଜେ.ଏନ୍.ୟୁ.ର ପ୍ରଫେସର ଗିରୀଶ ନାଥ ଝା (ଅଫ୍‌ଲାଇନ୍), ପ୍ରଫେସର ବରପ୍ରସାଦ କୋଲ୍ଲା ଏବଂ କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ଡକ୍ଟର ଜୀ. ସୂର୍ଯ୍ୟପ୍ରସାଦ (ଆଭାସୀ ମାଧ୍ୟମ) ଯୋଗଦେଇ ଆର୍ଯ୍ୟ-ଦ୍ରାବିଡ଼ ସମନ୍ୱୟ ଓ ଭାଷାଗୁଡ଼ିକର ସାଧାରଣ ବୈଶିଷ୍ଟ୍ୟ ଉପରେ ଆଲୋକପାତ କରିଥିଲେ।
ଆଜି ଅପରାହ୍ନ ୪:୩୦ ମିନିଟ୍‌ରେ ଅନୁଷ୍ଠିତ ଉଦ୍‌ଯାପନୀ ସଭାରେ ମୁଖ୍ୟ ବକ୍ତା ଭାବେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର କିଶୋର ଚନ୍ଦ୍ର ପାଢ଼ୀ ଯୋଗଦେଇ ଭାଷା ସଂରକ୍ଷଣ ଓ ଗବେଷଣାର ଆବଶ୍ୟକତା ଉପରେ ବକ୍ତବ୍ୟ ରଖିଥିଲେ। ସମ୍ମାନିତ ଅତିଥି ଭାବେ ସଂସ୍କୃତ ଭାରତୀ (USA) ର ଅଲ୍ ଇଣ୍ଡିଆ ୟୁନିଭର୍ସିଟି କୋ-ଅର୍ଡିନେଟର ଡକ୍ଟର କେ. ଏନ୍. ପଦ୍ମକୁମାର ଉଦ୍‌ବୋଧନ ଦେଇଥିଲେ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଡକ୍ଟର ଜ୍ଞାନେଶୋପାଧ୍ୟାୟ ବୈଦିକ ମଙ୍ଗଳାଚରଣ କରିଥିବା ବେଳେ ପ୍ରଫେସର ନିର୍ମଳା ପାଣିଗ୍ରାହୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଡକ୍ଟର ସୁଶାନ୍ତ କୁମାର ରାୟ କର୍ମଶାଳାର ବିବରଣୀ ଉପସ୍ଥାପନ କରିଥିଲେ। ଏହି ଅବସରରେ ବିଦ୍ୟାର୍ଥୀମାନେ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ। ପରିଶେଷରେ ବ୍ୟାକରଣ ବିଭାଗର ଡକ୍ଟର ଯତିରାଜ ବରାଳ ଧନ୍ୟବାଦ ଅର୍ପଣ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ବ୍ୟାକରଣ ବିଭାଗର ସହକାରୀ ଆଚାର୍ଯ୍ୟ ଡକ୍ଟର ଅମିତ କୁମାର ଉପାଧ୍ୟାୟ ସଫଳତାର ସହ ସଂଚାଳନ କରିଥିଲେ। ଶାନ୍ତି ମନ୍ତ୍ର ପାଠ ପରେ ସଭା ସାଙ୍ଗ ହୋଇଥିଲା।

Leave a Comment

Your email address will not be published. Required fields are marked *

Scroll to Top