
ପୁରୀ : ପର୍ଯ୍ୟଟନ କେନ୍ଦ୍ର ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କ ସୁରକ୍ଷା, ଶାନ୍ତି-ଶୃଙ୍ଖଳା ଓ ସ୍ବଚ୍ଛ ପର୍ଯ୍ୟଟନ ପରିବେଶ ସୃଷ୍ଟି କରିବା ନେଇ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂଙ୍କ ନିର୍ଦ୍ଦେଶ ଅନୁଯାୟୀ ପୁରୀ ପୋଲିସ୍ ପକ୍ଷରୁ ଏକ ସମୁଦ୍ରକୂଳ ଅଞ୍ଚଳ ରେ କାର୍ଯ୍ୟାନୁଷ୍ଠାନ କଡାକଡି କରାଯାଇଛି । ଏହି ଅଭିଯାନ ରେ ସମୁଦ୍ରକୂଳ ଥାନା ପୁଲିସ ରବିବାର ରାତିରେ ଚଢ଼ାଉ କରି ସର୍ବସାଧାରଣ ସ୍ଥାନରେ ମଦ୍ଯ ପାନ କରିବା ଏବଂ ଅସାମାଜିକ କାର୍ଯ୍ୟ ରେ ଲିପ୍ତ ଥିବା ଅଭିଯୋଗ ରେ ୨୫ଜଣକୁ ଗିରଫ କରିଛି । ଅଭିଯୁକ୍ତମାନଙ୍କୁ ପୁଲିସ ତାଗିଦ କରିବା ସହ ବ୍ୟକ୍ତିଗତ ମୁଚାଲିକାରେ ସେମାନଙ୍କୁ ପୁଲିସ ଛାଡ଼ିଥିବା ଜଣାପଡ଼ିଛି । ଏହି ଅଭିଯାନ ଅନ୍ତର୍ଗତ ପୁରୀ ସମୁଦ୍ରତଟ, ଇକୋ ରିଟ୍ରିଟ୍ ବିଚ୍, ନିଳାଦ୍ରୀ ବିଚ୍ ସହ ସମୁଦ୍ରକୁଳ ସଂଲଗ୍ନ ଅଞ୍ଚଳରେ ପୁଲିସ ଦଳ ପକ୍ଷରୁ ପ୍ୟାଟ୍ରୋଲିଂ ଓ ଚଢ଼ଉ ଅଭିଯାନ ଆରମ୍ଭ କରାଯାଇଛି। ସମୁଦ୍ରକୁଳ, ବଳିଆପଣ୍ଡା ସମେତ ସମସ୍ତ ଥାନା ଅଧିକାରୀ ଓ ପୋଲିସ୍ କର୍ମଚାରୀମାନେ ଏହି ଅଭିଯାନରେ ସକ୍ରିୟ ଭାଗ ନେଇଛନ୍ତି। ପର୍ଯ୍ୟଟକମାନଙ୍କ ନିରାପତ୍ତା ଓ ସୁବିଧା ପାଇଁ ପୁରୀ ବେଳାଭୂମିରେ ପ୍ୟାଟ୍ରୋଲିଂ କରାଯିବା ସହ ସମୁଦ୍ରତଟର ସମସ୍ତ ସଂବେଦନଶୀଳ ଅଞ୍ଚଳକୁ ତ୍ୱରିତ ଭାବେ ନିରୀକ୍ଷଣ କରାଯାଉଛି । ପ୍ୟାଟ୍ରୋଲିଂ ସମୟରେ ପୋଲିସ୍ ଟିମ୍ ପର୍ଯ୍ୟଟକମାନଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କୁ ସୁରକ୍ଷା ସମ୍ବନ୍ଧୀୟ ସଚେତନତା ବାର୍ତ୍ତା ଦେଇଥିଲେ। ସମୁଦ୍ର ସ୍ନାନ ସମୟରେ ସାବଧାନତା, ଲାଇଫଗାର୍ଡଙ୍କ ନିର୍ଦ୍ଦେଶ ମାନିବା, ଅସୁରକ୍ଷିତ ଅଞ୍ଚଳରେ ନ ସ୍ନାନ କରିବା, ମଦ୍ୟପାନ କରି ସମୁଦ୍ରତଟରେ ଯାତାୟାତ ନ କରିବା ଭଳି ବିଷୟରେ ପର୍ଯ୍ୟଟକମାନଙ୍କୁ ସଚେତନ କରାଯାଇଥିଲା। ଏହା ସହିତ ସମୁଦ୍ରତଟ ଅଞ୍ଚଳରେ ଅସାମାଜିକ ତତ୍ତ୍ୱ, ଅନାବଶ୍ୟକ ଭିଡ଼, ଅବୈଧ ବ୍ୟବସାୟ, ମାଦକ ଦ୍ରବ୍ୟ ବିକ୍ରୟ ଓ ଉତ୍ପାତ ସୃଷ୍ଟି କରୁଥିବା ବ୍ୟକ୍ତିମାନଙ୍କ ଉପରେ କଡା ନଜର ରଖାଯାଇଛି । ସନ୍ଦେହଜନକ ବ୍ୟକ୍ତି ଓ ଯାନବାହନଗୁଡ଼ିକୁ ଯାଞ୍ଚ କରାଯାଇ ଆଇନ ଅନୁସାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। ଆଗାମୀ ଦିନରେ ପୁରୀ ଜିଲ୍ଲାର ସମସ୍ତ ବିଚ୍ ଓ ପର୍ଯ୍ୟଟନ ସ୍ଥଳୀରେ ଏଭଳି ବିଶେଷ ପ୍ୟାଟ୍ରୋଲିଂ, ନିରୀକ୍ଷଣ ଓ ସଚେତନତା କାର୍ଯ୍ୟକ୍ରମ ଜାରି ରହିବ। ପୁରୀ ଜିଲ୍ଲା ପୋଲିସ୍ ପକ୍ଷରୁ ସମସ୍ତ ପର୍ଯ୍ୟଟକ ଓ ସାଧାରଣ ଜନତାଙ୍କୁ ଆଇନ-ଶୃଙ୍ଖଳା ରକ୍ଷାରେ ସହଯୋଗ କରିବା ଏବଂ ନିର୍ଦ୍ଦେଶାବଳୀ ମାନି ସୁରକ୍ଷିତ ଓ ସୁଖଦ ପର୍ଯ୍ୟଟନ ଅନୁଭୂତି ନେବାକୁ ଅନୁରୋଧ କରାଯାଇଛି। ପର୍ଯ୍ୟଟକମାନେ କୌଣସି ଅସୁବିଧା ବା ଆପତ୍ତିକାଳୀନ ପରିସ୍ଥିତିରେ ୧୧୨ କିମ୍ବା ପର୍ଯ୍ୟଟକ ସହାୟତା ନମ୍ବର ମାଧ୍ୟମରେ ସହାୟତା ନେବାକୁ ପୁଲିସ ପକ୍ଷରୁ ଅନୁରୋଧ କରାଯାଇଛି।
